ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ୱଦେଶୀ ଚିପ୍‌ |


ନୂଆଦିଲ୍ଲୀ,: ଭାରତୀୟ ସେନା
ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି
ଡିଆରଡିଓ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ
ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ
ସଂଗଠନ (ଡିଆରଡିଓ)ର ମିଳିତ
ସହଯୋଗରେ ଏକ ସ୍ୱଦେଶୀ
ବାୟୋଲୋଜିକାଲ ଚିପ୍ ବିକଶିତ
କରାଯାଇଛି। ‘ବାୟୋଫିଟ୍‌’ ନାମକ ଏହି
ପୋର୍ଟେବଲ୍ ସେନ୍ସରଟି ଯୁଦ୍ଧକ୍ଷେତ୍ରରେ
ମୁତୟନ ଥିବା ସୈନିକମାନଙ୍କୁ ହୃଦଘାତ
ହେବା ପୂର୍ବରୁ ସତର୍କ ସୂଚନା ପ୍ରଦାନ
କରିବାରେ ସକ୍ଷମ ହେବ। ଏହି ଉପକରଣଟି
ରକ୍ତ ନମୁନାରୁ ଏକାସାଙ୍ଗରେ ତିନୋଟି
ଜୈବିକ ଅଣୁକୁ ଚିହ୍ନଟ କରିପାରିବ।
ଗବେଷଣା ଦଳର ନେତୃତ୍ୱ ନେଉଥିବା
ପ୍ରଫେସର ମୋନିକା ତୋମାରଙ୍କ ଅନୁଯାୟୀ
ଏହା ରକ୍ତ ସେରମ୍‌କୁ ବିଶ୍ଳେଷଣ କରି
ହୃଦଘାତ ସହ ଜଡ଼ିତ
ବାୟୋମାର୍କରଗୁଡ଼ିକରେ ହେଉଥିବା
ବିପଜ୍ଜନକ ପରିବର୍ତ୍ତନକୁ ଧରିପାରେ।
ଗ୍ଲୁକୋମିଟର ପରି ଏହି ଚିପ୍‌ରେ ରକ୍ତ ଟିପାଏ
ପକାଇଲେ ଏହା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସୂଚନା
ପ୍ରଦର୍ଶନ କରିଥାଏ। ଯଦି ବାୟୋମାର୍କରର
ସ୍ତର ନିର୍ଦ୍ଧାରିତ ସୀମା ଅତିକ୍ରମ କରେ,
ତେବେ ଏହା ହୃଦଘାତର ଆଶଙ୍କା ଥିବା
ନେଇ ସତର୍କ କରାଇଥାଏ। ହିମାଳୟ ପରି
ଅତ୍ୟଧିକ ଶୀତଳ ଅଞ୍ଚଳରେ କାର୍ଯ୍ୟରତ
ସୈନିକମାନଙ୍କ ପାଇଁ ଏହି ଟେକ୍ନୋଲୋଜି
ବରଦାନ ସଦୃଶ ହେବ। ଶୂନ୍ୟରୁ କମ୍‌
ତାପମାତ୍ରାରେ ରକ୍ତ ବହଳିଆ ହୋଇ ହଠାତ
ଜମାଟ ବାନ୍ଧିବାର ଭୟ ରହିଥାଏ, ଯାହା
ଅକାଳ ହୃଦଘାତର କାରଣ ସାଜେ। ଆଗୁଆ
ସୂଚନା ମିଳିଲେ ସୈନିକଙ୍କୁ ତୁରନ୍ତ ବେସ୍‌
କ୍ୟାମ୍ପ ବା ମିଲିଟାରୀ ହସ୍ପିଟାଲକୁ ନିଆଯାଇ
ଚିକିତ୍ସା କରାଯାଇପାରିବ। ଏହା ଓଜନରେ
ହାଲୁକା ଏବଂ ପୋର୍ଟେବଲ୍ ହୋଇଥିବାରୁ
ଏହାକୁ ଯୁଦ୍ଧକ୍ଷେତ୍ର ବା ଦୁର୍ଗମ ଅଞ୍ଚଳକୁ
ସହଜରେ ନିଆଯାଇପାରିବ। ପ୍ରାୟ ୫ ବର୍ଷର
କଠିନ ପରିଶ୍ରମ ପରେ ଏହି ପ୍ରୋଟୋଟାଇପ୍‌
ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପର ଅନ୍ୟ ଏକ
ବିଶେଷତ୍ୱ ହେଉଛି ଏହାର
ଆତ୍ମନିର୍ଭରଶୀଳତା। ଏଥିରେ ବ୍ୟବହୃତ
ଯନ୍ତ୍ରପାତି ଭାରତରେ ନିର୍ମିତ ହୋଇଥିବାରୁ
ଏହାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦-୬୦
ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ବର୍ତ୍ତମାନ
ଏହି ଚିପ୍‌କୁ ଡିଆରଡିଓ ନିକଟରେ ପରୀକ୍ଷଣ
ପାଇଁ ହସ୍ତାନ୍ତର କରାଯାଇଛି। ଯଦି ଫିଲ୍ଡ
ଟ୍ରାଏଲ୍ ସଫଳ ହୁଏ, ତେବେ ଏହା
ଭାରତୀୟ ସେନାରେ ସ୍ୱାସ୍ଥ୍ୟ ସେବା
କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ।

Leave a Reply

Your email address will not be published. Required fields are marked *

error: Content is protected !!