ମହେଶ୍ୱର ପ୍ରଧାନ ଙ୍କ ଲେଖା ରୁ ପଦେ

ବହୁତ ଦିନ ତଳେ ଏକ ବିଶାଳ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ରହୁଥିଲେ। ହରିଣ, ଠେକୁଆ, ମୟୂର, ବାନର, ହାତୀ, ଜଙ୍ଗଲୀ ଘୋଡ଼ା—ସମସ୍ତେ ମିଳିମିଶି ଶାନ୍ତିରେ ବାସ କରୁଥିଲେ।
କିନ୍ତୁ ସେହି ଜଙ୍ଗଲରେ ଜଣେ ଭୟଙ୍କର ସିଂହ ମଧ୍ୟ ରହୁଥିଲା। ତାହାର ନାମ ଥିଲା ଭାସୁରକ।
ଭାସୁରକ ବହୁତ ଶକ୍ତିଶାଳୀ ଥିଲା। ସେ ପ୍ରତିଦିନ ଶିକାର କରୁଥିଲା। ଭୋକ ଲାଗିଲେ ସେ ଯେକୌଣସି ପଶୁକୁ ଧରି ମାରିଦେଉଥିଲା।
ଅନେକ ସମୟରେ ସେ ନିଜ ଭୋକଠାରୁ ଅଧିକ ପଶୁ ମାରିଦେଉଥିଲା।
ଏହା ଦେଖି ଜଙ୍ଗଲର ସମସ୍ତ ପଶୁ ଭୟଭୀତ ହୋଇପଡ଼ିଲେ।
ସେମାନେ ଭାବିଲେ,
“ଏଭଳି ଚାଲିଲେ ଦିନେ ନା ଦିନେ ଆମ ସମସ୍ତଙ୍କ ନାଶ ହୋଇଯିବ।”
ତେଣୁ ଦିନେ ସମସ୍ତ ପଶୁ ଏକ ସଭା କଲେ।
ସଭାରେ ଅନେକ ଆଲୋଚନା ହେଲା। ଶେଷରେ ସେମାନେ ଏକ ଉପାୟ ବାହାର କଲେ।
ପରଦିନ ସେମାନେ ସମସ୍ତେ ମିଶି ସିଂହ ପାଖକୁ ଗଲେ।
ଜଣେ ବୃଦ୍ଧ ହରିଣ ଆଗକୁ ଆସି ନମ୍ରତାର ସହ କହିଲା,
“ମହାରାଜ, ଆମେ ଆପଣଙ୍କ ଶକ୍ତିକୁ ସମ୍ମାନ କରୁଛୁ। କିନ୍ତୁ ଆପଣ ପ୍ରତିଦିନ ଏତେ ପଶୁ ମାରୁଛନ୍ତି ଯେ ଆମେ ସମସ୍ତେ ଭୟରେ ବଞ୍ଚୁଛୁ।”
ସିଂହ ରାଗିଯାଇ କହିଲା,
“ତେବେ ମୁଁ କଣ କରିବି? ମୋତେ ତ ଖାଇବାକୁ ପଡ଼ିବ।”
ହରିଣ କହିଲା,
“ମହାରାଜ, ଆପଣଙ୍କୁ ଶିକାର କରିବାକୁ ପଡ଼ିବ ନାହିଁ। ଆମେ ପ୍ରତିଦିନ ନିଜେ ଜଣେ ପଶୁକୁ ଆପଣଙ୍କ ପାଖକୁ ପଠାଇଦେବୁ।”
ସିଂହ କିଛି ସମୟ ଭାବିଲା।
ତାପରେ ସେ କହିଲା,
“ଠିକ ଅଛି। କିନ୍ତୁ ଯଦି ଦିନେ ମୋର ଖାଦ୍ୟ ଠିକ ସମୟରେ ନ ଆସେ, ତେବେ ମୁଁ ପୁଣି ସମସ୍ତଙ୍କୁ ମାରିବା ଆରମ୍ଭ କରିଦେବି।”
ପଶୁମାନେ ଏଥିରେ ରାଜି ହୋଇଗଲେ।
ଏଭଳି ଅନେକ ଦିନ ବିତିଗଲା।
ପ୍ରତିଦିନ ଜଣେ ପଶୁ ସିଂହ ପାଖକୁ ଯାଉଥିଲା ଏବଂ ସିଂହ ତାକୁ ଖାଇଦେଉଥିଲା।
ଦିନେ ଜଣେ ଛୋଟ ଠେକୁଆ ର ପାଳି ଆସିଲା।
ସେ ବହୁତ ବୁଦ୍ଧିମାନ ଥିଲା।
ସେ ଭାବିଲା,
“ଯଦି ମୁଁ ସିଂହ ପାଖକୁ ଯାଏ, ତେବେ ମୋର ମୃତ୍ୟୁ ନିଶ୍ଚିତ। ମୋତେ କିଛି ବୁଦ୍ଧି ଖଟାଇବାକୁ ପଡ଼ିବ।”
ସେ ଧୀରେ ଧୀରେ ଚାଲିବାକୁ ଲାଗିଲା।
ଜାଣିଶୁଣି ସେ ବହୁତ ଦେରି କଲା।
ଏପଟେ ସିଂହ ଭାସୁରକ ଭୋକରେ ଛଟପଟ ହେଉଥିଲା।
ସେ ରାଗରେ ଗର୍ଜନ କରୁଥିଲା।
ଶେଷରେ ଯେତେବେଳେ ଠେକୁଆ ଆସି ପହଞ୍ଚିଲା, ସେତେବେଳେ ବହୁତ ଡେରି ହୋଇଯାଇଥିଲା।
ସିଂହ ରାଗିଯାଇ କହିଲା,
“ଏତେ ଡେରି କାହିଁକି ହେଲା? ଆଉ ତୁମେ ଏତେ ଛୋଟ! ତୁମକୁ ଖାଇଲେ ମୋର ପେଟ ମଧ୍ୟ ଭରିବ ନାହିଁ।”
ଠେକୁଆ ଭୟ ପାଇଥିବା ପରି ଅଭିନୟ କରି କହିଲା,
“ମହାରାଜ, ଏଥିରେ ମୋର କୌଣସି ଦୋଷ ନାହିଁ।”
ସିଂହ ଗର୍ଜନ କରି କହିଲା,
“ତେବେ କାହାର ଦୋଷ?”
ଠେକୁଆ କହିଲା,
“ମହାରାଜ, ଆମେ ଛଅଟି ଠେକୁଆ ଆପଣଙ୍କ ପାଇଁ ଆସୁଥିଲୁ। କିନ୍ତୁ ରାସ୍ତାରେ ଆଉ ଜଣେ ସିଂହ ଆମକୁ ଅଟକାଇଦେଲା।”
ସିଂହ ଆଶ୍ଚର୍ଯ୍ୟ ହୋଇଗଲା।
ସେ ଚିତ୍କାର କରି କହିଲା,
“ଆଉ ଜଣେ ସିଂହ? ମୋର ଜଙ୍ଗଲରେ?”
ଠେକୁଆ କହିଲା,
“ହଁ ମହାରାଜ। ସେ କହୁଥିଲା ଯେ ସେହି ଏହି ଜଙ୍ଗଲର ପ୍ରକୃତ ରାଜା।”
ଏହା ଶୁଣି ସିଂହର ରାଗ ଆହୁରି ବଢ଼ିଗଲା।
ସିଂହ କହିଲା,
“ମୋତେ ସଙ୍ଗେ ସଙ୍ଗେ ତାହା ପାଖକୁ ନେଇଚାଲ।”
ଠେକୁଆ କହିଲା,
“ଆସନ୍ତୁ ମହାରାଜ। ମୁଁ ତାହାର ଲୁଚିବା ସ୍ଥାନ ଜାଣିଛି।”
ଠେକୁଆ ସିଂହକୁ ନେଇ ଏକ ପୁରୁଣା କୂଅ ପାଖକୁ ଗଲା।
କୂଅଟି ବହୁତ ଗଭୀର ଥିଲା ଏବଂ ସେଥିରେ ପରିଷ୍କାର ପାଣି ଥିଲା।
ଠେକୁଆ କହିଲା,
“ମହାରାଜ, ସେହି ସିଂହ ଏହି କିଲ୍ଲା ଭିତରେ ଲୁଚିଛି।”
ସିଂହ କୂଅ ଭିତରକୁ ଚାହିଁଲା।
ପାଣିରେ ତାହାର ନିଜ ପ୍ରତିଛବି ଦେଖାଗଲା।
ସେ ଭାବିଲା ଯେ ଏହା ଅନ୍ୟ ଏକ ସିଂହ।
ସେ ଜୋରରେ ଗର୍ଜନ କଲା।
କୂଅ ଭିତରୁ ମଧ୍ୟ ପ୍ରତିଧ୍ୱନି ଶୁଣାଗଲା।
ସିଂହ ଭାବିଲା ଯେ ଅନ୍ୟ ସିଂହ ମଧ୍ୟ ତାକୁ ଆହ୍ୱାନ କରୁଛି।
ରାଗରେ ଅନ୍ଧ ହୋଇ ସେ ସିଧା କୂଅ ଭିତରକୁ ଡିଆଁ ମାରିଦେଲା।
କିନ୍ତୁ ସେଠାରେ କୌଣସି ସିଂହ ନଥିଲା।
ସେ ଗଭୀର ପାଣିରେ ପଡ଼ିଗଲା ଏବଂ ବାହାରକୁ ଆସିପାରିଲା ନାହିଁ।
କିଛି ସମୟ ପରେ ତାହାର ମୃତ୍ୟୁ ହେଲା।
ଠେକୁଆ ଫେରି ଆସି ସମସ୍ତ ପଶୁଙ୍କୁ ଘଟଣା କହିଦେଲା।
ସମସ୍ତେ ବହୁତ ଖୁସି ହେଲେ।
ସେମାନେ ଠେକୁଆର ବୁଦ୍ଧି ଓ ସାହସର ପ୍ରଶଂସା କଲେ।
ସେହି ଦିନଠାରୁ ଜଙ୍ଗଲରେ ପୁଣି ଶାନ୍ତି ଫେରିଆସିଲା।

ପଞ୍ଚ ତନ୍ତ୍ର ର ଏହି କାହାଣୀ ଠାରୁ ଶିକ୍ଷା ମିଳେ ଯେ – ବୁଦ୍ଧି ବଳଠାରୁ ଶ୍ରେଷ୍ଠ।
ଅହଂକାର ମଣିଷର ପତନର କାରଣ ହୁଏ।
ବିପଦ ସମୟରେ ଶାନ୍ତ ମନରେ ଚିନ୍ତା କଲେ ସମାଧାନ ମିଳେ।
ଛୋଟ ହେଲେ ମଧ୍ୟ ବୁଦ୍ଧିମାନ ବ୍ୟକ୍ତି ବଡ଼ ଶକ୍ତିଶାଳୀକୁ ପରାଜିତ କରିପାରେ।

ସିଂହ ପ୍ରଥମେ ଜଙ୍ଗଲର ସୁରକ୍ଷା କରିବାର ପ୍ରତିଶ୍ରୁତି ଦେଲା। ଜଙ୍ଗଲର ପଶୁମାନେ ଦିନରାତି ପରିଶ୍ରମ କରି ତାକୁ ସିଂହାସନରେ ବସାଇଲେ।
କିନ୍ତୁ ସିଂହାସନ ମିଳିବା ପରେ ସେ ପ୍ରଥମେ ସେହି ପଶୁମାନଙ୍କୁ ଭୁଲିଗଲା, ଯେମାନେ ତାକୁ ରାଜା କରିଥିଲେ। ଆଶ୍ଚର୍ଯ୍ୟର କଥା, ଯେଉଁମାନେ କାଲି ପର୍ଯ୍ୟନ୍ତ ଜଙ୍ଗଲକୁ ଅଶାନ୍ତ କରୁଥିଲେ, ସେମାନେ ଆଜି ରାଜଦରବାରର ସମ୍ମାନିତ ଅତିଥି ହୋଇଗଲେ।
ଧୀରେ ଧୀରେ ସିଂହର ଅହଂକାର ଏତେ ବଢ଼ିଗଲା ଯେ ସେ ନିଜକୁ ଜଙ୍ଗଲଠାରୁ ବଡ଼ ଭାବିବା ଆରମ୍ଭ କଲା। ନିୟମ ତା’ ପାଇଁ ଖେଳନା ହୋଇଗଲା ଏବଂ ବିରୋଧ କରୁଥିବା ପଶୁମାନେ ତା’ର ଶତ୍ରୁ ହୋଇଗଲେ।
କିନ୍ତୁ ପଞ୍ଚତନ୍ତ୍ର ଆମକୁ ଶିଖାଏ—ସିଂହର ପତନ ସବୁବେଳେ ଅନ୍ୟ କୌଣସି ସିଂହ କରେନାହିଁ; ଅନେକ ସମୟରେ ତା’ର ନିଜ ଅହଂକାର, ଲୋଭ ଓ କୃତଘ୍ନତା ହିଁ ତାକୁ କୂଅ ଭିତରକୁ ଠେଲିଦିଏ।
ଯେ ରାଜା ନିଜକୁ ରାଜା କରିଥିବା ପଶୁମାନଙ୍କୁ ଭୁଲିଯାଏ, ସେ ଶେଷରେ ନିଜ ପ୍ରତିଛବି ସହ ଯୁଦ୍ଧ କରି ପରାଜିତ ହୁଏ।

ଟିଟିଲାଗଡ ରାଜନୀତି ଜଙ୍ଗଲ ର ସିଂହ ରାଜାକୁ ଜାଣି ରଖିବା ଉଚିତ ଯେ, ଜଙ୍ଗଲ ଜିତିବା ସହଜ, କିନ୍ତୁ ଜଙ୍ଗଲର ବିଶ୍ୱାସ ରଖିବା କଷ୍ଟକର।
ସିଂହାସନ ମୁଣ୍ଡରେ ମୁକୁଟ ଦେଇପାରେ, କିନ୍ତୁ ଚରିତ୍ର ଦେଇପାରେ ନାହିଁ।
ଯେ ରାଜା ନିଜ ସାଥୀମାନଙ୍କୁ ଭୁଲି ଗୁଣ୍ଡାମାନଙ୍କୁ ପାଖରେ ବସାଏ, ସେ ନିଜ କୂଅ ନିଜେ ଖୋଳୁଛି।
ଅହଂକାରରେ ଗର୍ଜନ କରୁଥିବା ସିଂହ ଅନେକ ସମୟରେ ନିଜ ପ୍ରତିଧ୍ୱନିକୁ ଶତ୍ରୁ ଭାବି ବସେ।

Leave a Reply

Your email address will not be published. Required fields are marked *

error: Content is protected !!