ବଲାଙ୍ଗୀର ରୁ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ
ବଲାଙ୍ଗୀର ଜିଲ୍ଲା ସହିତ ସାରା ଦେଶ ଓ ରାଜ୍ୟରେ ଏବେ ଲଗାଣ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ବଲାଙ୍ଗିର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ବର୍ଷା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି, ଯାହାକୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଲାଙ୍ଗିର ପୌରପରିଷଦର ନେତୃତ୍ୱ ନେଉଥିବା ଉଚ୍ଚ ଶିକ୍ଷିତା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସକ୍ରିୟତା ଏବେ ସାରା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଙ୍କର କାର୍ଯ୍ୟଶୈଳୀ ଓ ଜନସେବା ଏବେ ଜଣେ ପୂର୍ବତନ ବିରୋଧୀ ଦଳର ନେତାଙ୍କ ନିଦ ହଜାଇ ଦେଇଥିବା ନେଇ ରାଜନୈତିକ ମହଲରେ ଜୋରସୋର ଚର୍ଚ୍ଚା ଚାଲିଛି।
ଚଳିତ ବର୍ଷ ପ୍ରଥମ ବର୍ଷା ହେବା ମାତ୍ରେ ସହରର ଅନେକ ଗଳିକନ୍ଦି ଓ ଲୋକଙ୍କ ଘର ଭିତରକୁ ପାଣି ପଶିଯାଇଥିଲା। ଏଭଳି ସଂକଟ ସମୟରେ ଘର ଭିତରେ ବସି ନରହି ପୌରାଧ୍ୟକ୍ଷା ଲିକା ସାହୁ ନିଜେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ଜଳ ନିଷ୍କାସନ ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି।
ପ୍ରାୟ ଚାରି ବର୍ଷ ପୂର୍ବେ ବଲାଙ୍ଗିରବାସୀ ଜଣେ ଶିକ୍ଷିତ ଏବଂ ଜନସେବା ପ୍ରତି ସମର୍ପିତ ନେତ୍ରୀ ଭାବେ ଲିକା ସାହୁଙ୍କୁ ସହରର ଦାୟିତ୍ୱ ଦେଇଥିଲେ। ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ପରେ ମଧ୍ୟ ସହରରେ ସମାନ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ସେ ଦିନରାତି ଏକ କରି ଲୋକଙ୍କ ପାଖରେ ପହଞ୍ଚିଥିଲେ, ଯାହା ସହରବାସୀଙ୍କ ମନରେ ତାଙ୍କ ପ୍ରତି ଅଗାଧ ଆସ୍ଥା ସୃଷ୍ଟି କରିଥିଲା। ଚଳିତ ବର୍ଷ ମଧ୍ୟ ସେ ସମାନ ଆଭିମୁଖ୍ୟ ଆପଣେଇ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି।

ଜନସାଧାରଣଙ୍କ ମତ: “ସଂକଟ ସମୟରେ ଲୋକଙ୍କ ସେବା, ଦୁର୍ଦ୍ଦଶାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ଆକ୍ସନ ହିଁ ଜଣେ ପ୍ରକୃତ ଜନପ୍ରତିନିଧିଙ୍କ ପରିଚୟ ଦେଇଥାଏ। ଲିକା ସାହୁ ତାହା ପ୍ରମାଣ କରି ଦେଖାଇଛନ୍ତି।”
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଅନ୍ୟ କେତେକ ଜନପ୍ରତିନିଧିଙ୍କ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ଅନ୍ୟପଟେ ଲିକା ସାହୁଙ୍କ ଏହି ସକ୍ରିୟ ପ୍ରୟାସ ବଲାଙ୍ଗିର ସମେତ ସାରା ଓଡ଼ିଶାର ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି। ଜଣେ ଉଚ୍ଚ ଶିକ୍ଷିତା ମହିଳା ନେତ୍ରୀଙ୍କ ଏଭଳି ଦୃଢ଼ ପଦକ୍ଷେପ ବଡ଼ ବଡ଼ ରାଜନେତାଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।

