ନୂ୍ଆଦିଲ୍ଲୀ,: ସଂସଦର ବଜେଟ
ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ
ଅଭିଭାଷଣ ସହିତ ଆରମ୍ଭ ହୋଇଛି।
ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇ
କହିଛନ୍ତି, ସରକାର ଏକ ବିକଶିତ ଭାରତ ପାଇଁ
ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ
ଦେଖୁଛନ୍ତି। ତେଣୁ ସରକାର ପ୍ରଧାନମନ୍ତ୍ରୀ
କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି।
ରାଷ୍ଟ୍ରପତି ଗ୍ରାମାଞ୍ଚଳରେ ବିକାଶ ଓ ନିଯୁକ୍ତି ପାଇଁ
ବିକଶିତ ଭାରତ-ଜୀ ରାମ ଜୀ ସମ୍ପର୍କରେ
ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିରୋଧୀ
ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ।
ବିଭିନ୍ନ ସ୍ଲୋଗାନ ଓ ହୋହାଲ୍ଲା କରିଥିଲେ।
ରାଷ୍ଟ୍ରପତି ଦାବି କରିଥିଲେ ଯେ, ସରକାର
ପ୍ରକୃତ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ଅଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ୟୁରୋପୀୟ ସଂଘ ସହିତ
ଏଫ୍ଟିଏ ସେବା ଓ ଉତ୍ପାଦନ କ୍ଷେତ୍ରକୁ
ପ୍ରୋତ୍ସାହିତ କରିବ ତଥା ଯୁବପିଢ଼ିଙ୍କ ପାଇଁ
ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସରକାର ଦୁର୍ନୀତି
ଓ ସ୍କାମ୍ ମୁକାବିଲା କରିବାରେ ସଫଳ ହୋଇଛନ୍ତି।
ସାର୍ବଜନୀନ ପାଣ୍ଠିର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ
କରାଯାଇଛି। ସରକାର ଦଳିତ, ଅବହେଳିତ,
ପଛୁଆ ବର୍ଗ ଓ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ
ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ରାଷ୍ଟ୍ରପତି
କହିଛନ୍ତି, ଭାରତ ସରକାର ଷ୍ଟାର୍ଟ-ଅପ୍ଗୁଡ଼ିକୁ
ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା ଆରମ୍ଭ
କରିଛନ୍ତି, ସେସବୁ ସଫଳତାର ସହିତ କାର୍ଯ୍ୟ
କରୁଛି। ଏକ ଦଶନ୍ଧି ପୂର୍ବରୁ ଦେଶରେ ମାତ୍ର
୫୦୦ ଷ୍ଟାର୍ଟ-ଅପ୍ ଥିଲା। କିନ୍ତୁ ଏବେ ଏହି ସଂଖ୍ୟା
ହଜାର ହଜାର ସଂଖ୍ୟାରେ ପହଞ୍ଚିଛି। ପ୍ରଯୁକ୍ତିବିଦ୍ୟା
ଓ ଏଆଇ ନିରନ୍ତର ଭାବେ ବିକଶିତ ହେଉଛି।
ସରକାର ଓ ଯୁବପିଢ଼ିଙ୍କ ମିଳିତ ପ୍ରୟାସ ଯୋଗୁ
ଦେଶରେ କ୍ରୀଡ଼ାର ବିକାଶ ଧାରା ଜାରି ରହିଛି।
ସରକାର ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ
ଆରମ୍ଭ କରିଛନ୍ତି ତଥା କ୍ରୀଡ଼ା ବିଭାଗଗୁଡ଼ିକରେ
ସ୍ୱଚ୍ଛତା ଆଣିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଗ୍ଲୋବାଲ
ସାଉଥ୍ରେ ଭାରତ ଗୁରୁତ୍ୱ ବଢ଼ିଛି। ଦେଶ ବ୍ରିକ୍ସ,
ଏସ୍ସିଓ, ଜି-୨୦ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ
ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଛି। ଅନେକ
ବିଶ୍ୱ ସମସ୍ୟାର ସମାଧାନ ପାଇଁ ଦେଶ
ସଫଳତାର ସହିତ କାର୍ଯ୍ୟ କରୁଛି। ରାଷ୍ଟ୍ରପତି
ଘୋଷଣା କରିଛନ୍ତି, ସରକାର ଖୁବ୍ ଶୀଘ୍ର ଏକ
ବିଶ୍ୱ ଏଆଇ ସମ୍ମିଳନୀ ଆୟୋଜନ କରିବାକୁ
ଯାଉଛନ୍ତି। ଏହା ସହିତ ରାଷ୍ଟ୍ରପତି ଭାରତୀୟ
ସେନା ଅପରେସନ ସିନ୍ଦୂରରେ ପ୍ରଦର୍ଶନ
କରିଥିବା ବୀରତ୍ୱ ସମ୍ପର୍କରେ ମଧ୍ୟ କହିଛନ୍ତି।
