କଟକ: ରାଜ୍ୟ ସରକାର ବେଆଇନ ନିଶା ଓ ମାଦକ ଦ୍ରବ୍ୟ କାରବାରକୁ ରୋକିବା ଦିଗରେ ଦୃଢ ସଂକଳ୍ପ ବଦ୍ଧ ଅଛନ୍ତିI ଏଥିନେଇ ଅବକାରୀ ବିଭାଗ ପକ୍ଷରୁ ‘ନିଶା ନୁହେଁ ଜୀବନ’ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I ଅବକାରୀ ବିଭାଗର ଦକ୍ଷ ଅଧିକାରୀଙ୍କ ଦ୍ୱାରା ନିୟମିତ ଚଢ଼ାଉ ଫଳରେ ବହୁ ବେଆଇନ ନିଶା ଓ ମାଦକ ଦ୍ରବ୍ୟ କାରବାର ଅଞ୍ଚଳକୁ ଧ୍ବଂସ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଗିରଫ ହୋଇଛନ୍ତିI ଆଗାମୀ ଦିନରେ ଏହି ଧରଣର ଚଢ଼ାଉ ପ୍ରକ୍ରିୟାକୁ ଜୋରଦାର କରାଯିବା ସହ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛିI ଏଥିଲାଗି ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଯୁଗପଯୋଗୀ ହେବାକୁ ପଡିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତିI
କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ ଠାରେ ଅବକାରୀ ବିଭାଗର ୫୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରି କହିଲେଯେ କାର୍ଯ୍ୟକ୍ଷେତ୍ରରେ ସଫଳ ହେବାକୁ ହେଲେ ନିଷ୍ଠାବାନ ହେବା ସହ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବାକୁ ପଡ଼ିବI ଆଜି ଉଦଘାଟିତ ଏହି କ୍ରୀଡ଼ା ଉତ୍ସବ ବିଭାଗର ଅଧିକାରୀ ଓ କର୍ମଚାରଙ୍କ ମଧ୍ୟରେ ଖେଳୁଆଡ଼ ଭାବନା ସୃଷ୍ଟି କରିବା ସହ ଭବିଷ୍ୟତରେ ସେମାନଙ୍କୁ ଅଧିକ ଦକ୍ଷ କରି ଗଢ଼ିତୋଳିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ I
ସମ୍ମାନିତ ଅତିଥି ଭାବେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଅବକାରୀ ଆୟୁକ୍ତ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡି, ପୂର୍ବତନ ଅଲିମ୍ପିକ କ୍ରୀଡ଼ାବିତ ଡ଼. ଅନୁରାଧା ବିଶ୍ୱାଳ ଏବଂ କଳାକାର ତଥା ସମାଜସେବୀ ଶ୍ରୀମତୀ ପିଙ୍କି ପ୍ରଧାନ ଉପସ୍ଥିତ ରହି ଉଦ୍ଘାଟନୀ କାର୍ଯ୍ୟକ୍ରମର ଶୋଭାବର୍ଧନ କରିଥିଲେ। ଉତ୍ସବରେ ଅବକାରୀ ବିଭାଗ, ଅବକାରୀ ନିର୍ଦେଶାଳୟ ଓ OSBCର ଅଧିକାରୀ ଓ କର୍ମଚାରୀବୃନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଉଦଘାଟନୀ କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଭାବେ ଧନେଶ୍ୱର ବରାଦ, DSEଙ୍କ ତତ୍ୱାବଧାନରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଏକ ସୁସଂଗଠିତ ପରେଡ଼ ଆୟୋଜିତ ହୋଇଥିଲା।
