ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ ଆଦିବାସୀ ସଂପ୍ରଦାୟ ଅନ୍ଧାରରେ ରହୁଛନ୍ତି । ଗାଁରେ ଭୁତ ବୁଲିଛି କହି ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଦରରେ ଥିବା ମାରିଗୁଡା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଗତ ୫ ମାସରେ ୫ ଜଣ ମୃତ୍ୟବରଣ କରିବା ପରେ ସେମାନଙ୍କ ଆତ୍ମା ଗାଁ ବୁଲିଛି ବୋଲି ଲୋକେ ବିଶ୍ବାସ କରୁଛନ୍ତି । ଭୁତ ଭୟରେ ଗାଁ ଯୁବକ ମାନେ ରାତି ଅନିଦ୍ରା ହୋଇ ଗାଁ ଜଗୁଥିବା ବେଳେ ଏବେ ଗାଁରେ ପୂଜା କରିବା ପାଇଁ ଚାନ୍ଦା ଆଦାୟ କରୁଛନ୍ତି ଗ୍ରାମବାସୀ ବୋଲି ଜଣାପଡିଛି। ଡିଜିଟାଲ୍ ଯୁଗରେ ମଧ୍ୟ ଭୂତର ଆତଙ୍କକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସଞ୍ଜ ନଇଁଲେ ଗାଁ ମୁଣ୍ଡରେ ଥିବା ଗଛରୁ ଧୂଆଁ ବାହାରୁଛି ଆଉ ବିଳମ୍ବିତ ରାତିରେ ବିକଟାଳ ଶଦ୍ଦ ହେଉଛି । ଭୁତ ଆଉ ପ୍ରେତାତ୍ମାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଗତ ତିନି ଦିନ ହେବ ଅଧିକାଂଶ ଲୋକଙ୍କ ଘରେ ଠିକ୍ ଭାବେ ଚୁଲି ଜଳି ନ ଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ମାରିଗୁଡା ଗ୍ରାମବାସୀଙ୍କ ମନରେ ଏବେ ଭୁତ ପ୍ରେତ ଡର ମାଡ଼ି ବସିଛି । ଗାଁର କିଛି ଯୁବକ ଆଉ ଯୁବତୀମାନେ ଭୁତକୁ ନେଇ ଛଟପଟ ହେଉଛନ୍ତି । ଗାଁ ଲୋକଙ୍କ କହିବା କଥା କେତେବେଳେ କାହା ଦେହରେ ମୃତକଙ୍କ ଆତ୍ମା ଘୁରି ବୁଲିଛି । ଅଚେତ ଲୋକଙ୍କ ବିଷୟରେ ଜାଣିବା ପାଇଁ ତାଙ୍କୁ ମାଡ ବି ମରାଯାଉଛି ।

ଗତ ୫ ମାସ ମଧ୍ୟରେ ଗାଁର ୫ ଜଣ କାଣ୍ଟି ତାଢିଙ୍ଗି,ବାବୁ ମାଣ୍ଡାଙ୍ଗି,କାମ୍ବଲା କିଲକା,ପୁଲାମେ ମାଣ୍ଡାଙ୍ଗି ଓ ପୁଲ ମାଣ୍ଡାଙ୍ଗି ମୃତ୍ୟୁବରଣ କରିବା ପରେ ଲୋକେ ଏବେ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁର ଯୁବକ ମାନେ ଭୂତକୁ ତଢିବା ପାଇଁ ଢେଙ୍ଗାବାଡି ଧରି ରାତି ଅନିଦ୍ରା ହେଉଛନ୍ତି । ଜାନି ଦିସାରୀ ପୂଜା ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଗ୍ରାମବାସୀ ବୈଠକ କରି ଗାଁରେ ଏବେ ଟଙ୍କା ଯୋଗାଡ ଚାଲିଛି । ଲୋକଙ୍କ ମନରେ ଅନ୍ଧବିଶ୍ବାସ ଏତେ ଭରିଛି ଯେ ବାହାର ଲୋକଙ୍କୁ ଗାଁକୁ ନ ଆସିବା ପାଇଁ ଜ୍ୟୋତି ବିଡିକା,କାମରାଜୁ ତାଢିଙ୍ଗିଙ୍କ ସହ ଅନ୍ୟ ଗ୍ରାମବାସୀ ମାନେ କହୁଛନ୍ତି। ମାରୀଗୁଡା ଗାଁକୁ ଲାଗି ନାଗାବଳୀ ନଦୀ ପ୍ରବାହିତ ହେଉଥିବା ବେଳେ ନଦୀରେ ଏବେ ଆଡିବନ୍ଧ ନିର୍ମାଣ ଚାଲିଛି । ଲୋକଙ୍କ ବିଶ୍ବାସ ଗାଁ ବାନ୍ଧିବାକୁ ପୂର୍ବପୁରୁଷ ମାନେ ନଦୀ ନିକଟରେ ପୂଜାର୍ଚ୍ଚନା କରି ଔଷଧ ପୋତିଥିଲେ । ହେଲେ ଏବେ ଜେସିବି ଲଗାଇ ଆଡିବନ୍ଧ ନିର୍ମାଣ ଚାଲିଥିବା ବେଳେ ଉକ୍ତ ସ୍ଥାନକୁ ସଂପୂର୍ଣ୍ଣ ଭଙ୍ଗାଯାଉଛି । ଯାହାଫଳରେ ପ୍ରେତାତ୍ମା ଗୁଡିକ ବୁଲିବା ସହ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । ତେବେ ଗାଁ ବାନ୍ଧିବାକୁ ହେଲେ ଦିସାରୀ ପୂଜାର ଆବଶ୍ୟକତା ରହିଛି ବୋଲି ଏହି ଲୋକମାନେ ଭାବିବା ସହ ଗାଁରେ ପୂଜା କରିବାକୁ ଏକ ପୂଜାରୀ ମଧ୍ୟ ଠିକ୍ କରିଛନ୍ତି ବୋଲି ଗ୍ରାମର ପଙ୍କଜ ବିଡିକା, ସଲମନ ରେଡ୍ଡୀ ପ୍ରମୁଖ କହିଛନ୍ତି । ଗାଁ ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରି ବନ୍ଧା ଯାଇଥିବା ବନ୍ଧନ ଫିଟିଯିବା ପରେ ଗାଁର ଲୋକେ ମୃତ୍ୟବରଣ କରୁଥିବା ନେଇ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରି ଗାଁ ଲୋକେ କହୁଥିବା ବେଳେ ଗ୍ରାମବାସୀଙ୍କୁ ସଚେତନର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!