ଭୁବନେଶ୍ୱର : ରାଜ୍ୟରେ ପଛୁଆବର୍ଗ,ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁମାନଙ୍କ ଅବସ୍ଥା ଶୋଚନୀୟ । ଗତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ଶାସନର ପତନ ଘଟାଇ ଡବଲ ଇଂଜିନ ସରକାର ଶାସନକୁ ଆଣିଲେ । ଡବଲ ଇଂଜିନ ସରକାର ଆସିବାର ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ପଛୁଆବର୍ଗଙ୍କ ପାଇଁ ସରକାର 27 % ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରି ନାହାଁନ୍ତି ।
ନିର୍ବାଚନ ସମୟରେ ବିଜେପି ଦେଇଥିବା 300 ୟୁନିଟ ବିଜୁଳି ଛାଡ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ବୋଲି ପଛୁଆବର୍ଗ,ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମହାସଭା ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି ।
ଏଥିରେ ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ ଓ ସମ୍ପାଦକ ଅନାଦି ସାହୁ ଦାବି କରିଛନ୍ତି ଯେ ତୁରନ୍ତ ଜାତିଭିତ୍ତିକ ଗଣନା କରାଯାଇ ୟୁଜିସି କମିଟିରେ ଭାରତର ଜନସଂଖ୍ୟାର ଅନୁପାତରେ ପଛୁଆବର୍ଗ,ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ସ୍ଥାନ ଦିଆଯାଉ । ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିରେ ଦଳିତ ଓ ପଛୁଆବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଠୋସ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଦଳିତ, ଆଦିବାସୀ ସମାଜର ଛାତ୍ରଛାତ୍ରୀଙ୍କୁ ପାଠପଢା ଓ ସରକାରୀ ଚାକିରୀରେ 20 % ବଦଳରେ 38.25 % ଆରକ୍ଷଣ ସୁବିଧା, ପଛୁଆବର୍ଗ ସମାଜକୁ ପାଠପଢା ଓ ସରକାରୀ ଚାକିରୀରେ 11.25 % ବଦଳରେ 27 % ଆରକ୍ଷଣ ସୁବିଧା, ସମ୍ବିଧାନ ଅନୁଛେଦରେ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିବା, ଆଦିବାସୀ ଭଳି ପଛୁଆବର୍ଗ ଓ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ବିଦ୍ୟାଳୟ ଖୋଲାଯିବା, ଆଗାମୀ ତ୍ରିସ୍ତରୀୟ ପଂଚାୟତିରାଜ, ବିଧାନସଭା, ଲୋକସଭାରେ ମଧ୍ୟ ଦଳିତ, ଆଦିବାସୀ ଭଳି ପଛୁଆବର୍ଗଙ୍କୁ ଆରକ୍ଷଣ ଦିଆଯିବା, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କ୍ରିମିଲେୟାର ସୀମା 8 ଲକ୍ଷରୁ 12 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଖଣିଅଂଚଳରେ ସଠିକ ଭାବରେ ଥଇଥାନ କରିବା ,ଛାତ୍ରୀମାନଙ୍କ ଯୌନ ଶୋଷଣ ବନ୍ଦ କରିବା ପାଇଁ କମିଟି ଗଠନ କରିବା ସହ ରାଜ୍ୟରେ ଖୋଲା ଯାଉଥିବା କମ୍ପାନୀରେ ପଛୁଆବର୍ଗ,ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନେଇ ଦାବି କରାଯାଇଛି ।
