ରାଜ୍ୟରେ ଏବେ ଅସହ୍ୟ ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସୂର୍ଯ୍ୟ ଦେବତାଙ୍କ ରୌଦ୍ର ରୂପ ଦେଖିବାକୁ ମିଳୁଛି। ଓଡ଼ିଶାର ‘ତପ୍ତ ସହର’ କୁହାଯାଉଥିବା ଟିଟିଲାଗଡ଼ ଏବେ ନିଆଁ ପିଣ୍ଡୁଳା ପାଲଟିଛି। ଆଜି ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି, ଯାହା ଚଳିତ ବର୍ଷର ସବୁଠାରୁ ଗରମ ଦିନ ଭାବେ ରେକର୍ଡ କରାଯାଇଛି।ସକାଳ ୯ଟା ବାଜିଲେ ଟିଟିଲାଗଡ଼ ସହରର ତାତି ଅସହ୍ୟ ହୋଇପଡୁଛି। ପୂର୍ବାହ୍ନ ୧୧ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ପବନ (ଲୁ) ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଆଜି ଟିଟିଲାଗଡ଼ରେ ପାରଦ ୪୩.୭ ଡିଗ୍ରୀ ଛୁଇଁଥିବା ବେଳେ ଆଗାମୀ କିଛି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି।ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଏହିପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେଣୁ ସତର୍କ ରୁହନ୍ତୁ, ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଜରୁରୀ କାମ ନଥିଲେ ଖରାରେ ବାହାରକୁ ବାହାରନ୍ତୁ ନାହିଁ।
