ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି। ସନ୍ଥପଡ଼ା ବ୍ରାହ୍ମଣୀ ନଦୀ ଘାଟରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଅତର୍କିତ ଭାବେ ଖଣ୍ଡାରେ ହାଣି ରକ୍ତାକ୍ତ କରିଦେଇଛନ୍ତି। ଗୁରୁତର ସାମ୍ବାଦିକ ଜଣକ ହେଉଛନ୍ତି ‘ସମାଜ’ ଖବରକାଗଜର ପରଜଙ୍ଗ ପ୍ରତିନିଧି।
ସୂଚନା ଅନୁଯାୟୀ, ଆଜି ସମ୍ପୃକ୍ତ ସାମ୍ବାଦିକ ଜଣକ ସନ୍ଥପଡ଼ା ବ୍ରାହ୍ମଣୀ ନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ୬ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲେ। କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଧାରୁଆ ଖଣ୍ଡାରେ ତାଙ୍କ ହାତ ଓ ଗୋଡ଼କୁ ବାରମ୍ବାର ଚୋଟ ପକାଇଥିଲେ। ସାମ୍ବାଦିକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିବାରୁ ଆଖପାଖ ଲୋକେ ଜମା ହେବା ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସାମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଥିବାରୁ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇଥିଲା। ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଆଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ଖବର ପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତା କିମ୍ବା ଖବର ପରିବେଷଣକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଏହି ବର୍ବରୋଚିତ ଆକ୍ରମଣକୁ ବିଭିନ୍ନ ସାମ୍ବାଦିକ ସଂଘ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଘୋର ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।
