ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର ଏଏସ୍‌ଆଇ ଅରୂପାନନ୍ଦ ଦାସଙ୍କୁ ମାଡ଼ି ବସିଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ।

ସୂଚନା ମୁତାବକ, ରାସ୍ତା ପାର୍ଶ୍ୱରେ ଥିବା ଏକ ଢାବା ବ୍ୟବସାୟୀଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ସହ ବ୍ୟବସାୟ ସୁରୁଖୁରୁରେ ଚଳାଇବାକୁ ସୁଯୋଗ ଦେବା ପାଇଁ ଏଏସଆଇ ଦାସ ଲାଞ୍ଚ ଦାବି କରିଥିଲେ।

ଲାଞ୍ଚ ନ ଦେଲେ ଗିରଫ କରାଯିବ ବୋଲି ସେ ବ୍ୟବସାୟୀଙ୍କୁ ଭୟଭୀତ କରିଥିଲେ। ବ୍ୟବସାୟୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲା।

କେବଳ ଲାଞ୍ଚ ମାମଲା ନୁହେଁ, ଏଏସ୍‌ଆଇ ଅରୂପାନନ୍ଦଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏବେ ତନାଘନା ଜାରି ରଖିଛି। ତାଙ୍କର ସରକାରୀ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ତାଙ୍କର ସମ୍ପତ୍ତିର ଆକଳନ ଜାରି ରହିଛି।

ଏକ ପୁରୁଣା ମାମଲାରେ ରଫାଦଫା କରିବା ପାଇଁ ଏଏସଆଇ ଜଣକ ବ୍ୟବସାୟୀଙ୍କ ସହ ଡିଲ କରିଥିଲେ। ମାତ୍ର ବ୍ୟବସାୟୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଅରୂପାନନ୍ଦଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ପୋଲିସ ବିଭାଗରେ ଥାଇ ଜଣେ ବ୍ୟବସାୟୀଙ୍କୁ ମିଥ୍ୟା ଭୟ ଦେଖାଇ ଟଙ୍କା ଆଦାୟ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

error: Content is protected !!