ରାୟଗଡା ସହରରେ ଆଜି ସନ୍ଧ୍ୟାରେ ଏକ ଚଞ୍ଚଳକର ଘଟଣା ଘଟିଛି |

ରାୟଗଡା ରେଳଷ୍ଟେସନ୍ ନିକଟରେ ଜଣେ ଅଧ୍ୟାପକଙ୍କୁ ଆକ୍ରମଣ କରି ଲୁଟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ବାସିନ୍ଦା ୪୬ ବର୍ଷୀୟ ବଳରାମ ପରିଡା, ଯିଏ ରାୟଗଡା ସ୍ଥିତ ଏମଆଇଟିଏସ୍ କଲେଜ୍‌ର ଆଇଟି ବିଭାଗରେ ଲେକ୍ଚରାର ଭାବେ କାମ କରୁଛନ୍ତି, ସେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ ସମୟରେ ଜୁନାଗଡ଼ ଏକ୍ସପ୍ରେସ୍ ଟ୍ରେନ୍‌ରେ ଭୁବନେଶ୍ୱର ଯିବା ପାଇଁ ରେଳଷ୍ଟେସନ୍ ଦିଗକୁ ଯାଉଥିବା ବେଳେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଦୁଇଚକିଆ ଯାନରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଲୁହା ରଡ୍‌ରେ ତାଙ୍କ ଡାହାଣ ପଟିଆ କାନ ନିକଟରେ ଆଘାତ କରିଥିବାରୁ ଗୁରୁତର ଆହତ ହୋଇଥିଲେ ଏବଂ କାନରୁ ରକ୍ତସ୍ରାବ ହୋଇ ସେ  ଢଳିପଡ଼ିଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କର ମୋବାଇଲ ଫୋନ୍‌, ଘଡ଼ି ଏବଂ ପର୍ସ ନେଇ ପଳାଇଯାଇଥିଲେ। ପର୍ସ ଭିତରେ ପ୍ରାୟ ୩ ହଜାର ଟଙ୍କା ନଗଦ ଥିବା ସୂଚନା ମିଳିଛି। ଘଟଣା ସମ୍ବନ୍ଧରେ ଖବର ପାଇ ରାୟଗଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଆହତ ବଳରାମ ପରିଡାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ପରେ ସେ ଥାନାରେ ଏକ ଏତଲା ଦାଖଲ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଜଖବର ଜାରି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!