ଡାକିଲେ ନବୀନ, ଆସିଲେନି ୩ ବିଧାୟକ; ବିଜେଡିରେ ଅଦୃଶ୍ୟ ବିଭୀଷଣ କିଏ ?

ନବୀନଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲେ ବିଜେଡିର ୩ ବିଧାୟକ । ଦଳୀୟ ବୈଠକକୁ ଆସିଲେନି, ମକ୍ ପୋଲର ଟ୍ରେନିଂ ବି ନେଲେନି । ଯାହା ରାଜ୍ୟସଭା ନିର୍ବାଚନକୁ ରହସ୍ୟମୟ ଓ ରୋଚକ କରିଛି । ଦଳର ସବୁ ବିଧାୟକଙ୍କ ସମର୍ଥନ ଗୋଟାଇବା ଏବେ ବିଜେଡି ସୁପ୍ରିମୋଙ୍କ ପାଇଁ ଆଉ ସହଜ ହୋଇନାହିଁ । ଦଳରେ ଥିବା ଅସନ୍ତୁଷ୍ଟକୁ ଘୋଡାଇବା ପାଇଁ ଏବେ ଘୋଡାବେପାର ଅସ୍ତ୍ର ଛାଡିଛନ୍ତି ନବୀନ ।ନବ ମଲ୍ଲିକ, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ । ନବୀନ ନିବାସ ହେଉ କି ବିଧାନସଭା । ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ଡାକୁଥିବା ବୈଠକରେ ବିଜେଡିର ଏହି ୩ ବିଧାୟକଙ୍କୁ ଗତ ଦୁଇ ଦିନ ହେବ ଦେଖିବାକୁ ମିଳିନି । ଏମାନଙ୍କ ଅନୁପସ୍ଥିତି ହିଁ ବିଜେଡିକୁ ଅକଳରେ ପକାଇଛି, ଆଉ ବିଜେପିକୁ ପରୋକ୍ଷରେ ବଳ ଦେଇଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେଡି ନିଜର ସମସ୍ତ ବିଧାୟକଙ୍କ ସମର୍ଥନ ଦତ୍ତେଶ୍ୱରଙ୍କ ପାଇଁ ଚାହୁଛି । ଆଉ ଏଥିପାଇଁ ସବୁ ଦାୟିତ୍ୱ ନବୀନ ନିଜ କାନ୍ଧକୁ ନେଇଛନ୍ତି । ଦଳୀୟ ବୈଠକ ଠାରୁ ଆରମ୍ଭ କରି ମକ ପୋଲ୍‌ ଟ୍ରେନିଂ ପର୍ଯ୍ୟନ୍ତ ସବୁଠି ଉପସ୍ଥିତ ରହୁଛନ୍ତି ନିଜେ ବିଜେଡି ସୁପ୍ରିମୋ । ହେଲେ ଦଳର ୩ ବିଧାୟକ ଧରାଛୁଆଁ ନଦେବା ଭିତରେ ଘୋଡ଼ା ବେପାରର ସାଂଘାତିକ ଅଭିଯୋଗ ଆଣିଛନ୍ତି ନବୀନ । ଯାହାକୁ କାଉଣ୍ଟର କରିଛନ୍ତି ଜୟନାରାୟଣ ।

Leave a Reply

Your email address will not be published. Required fields are marked *

error: Content is protected !!