ବନ୍ଦ ଦୈନିକ ବଜାର ପାଲଟିଛି ଅସାମାଜିକଙ୍କ ଆଡ୍ଡା ।

ଏଲଆଇସି କାର୍ଯ୍ୟାଳୟ ନିକଟ କୃଷକ ବଜାରକୁ ଗତ ୯ବର୍ଷ ତଳେ ସହର ମଧ୍ୟରେ ଥିବା ସଂଜୟ ଦୈନିକ ବଜାର ସ୍ଥାନାନ୍ତର ହୋଇଥିଲା। ଆମିଷ ବଜାର ସ୍ଥାନାନ୍ତର ନ ହୋଇ ସେଭଳି ସଂଜୟ ଦୈନିକବଜାର ମଧ୍ୟରେ ରହିଥିଲା। ବଜାର ମଧ୍ୟରେ ଥିବା ୩୦ଟି ଷ୍ଟଲ ଅବ୍ୟବହୃତ ଭାବେ ରହିବା ପରେ ଏବେ ବିପଦସଂକୁଳ ଅବସ୍ଥାକୁ ପଳାଇ ଆସିଛି।

ପୁରୁଣା ପିଣ୍ଡି ଅବସ୍ଥା ନ କହିବା ଭଲ। ପୂତ୍ତିଗନ୍ଦମୟ ପରିବେଶରେ ଏହା ପରିସରକୁ ଗଲେ ନାକ ପାଟି ପଡୁଛି।

ଏବେ ଏହା ପରିସରରେ ଅଳ୍ପ କିଛି ଆମିଷ ଦୋକାନ ହିଁ ଚାଳିଛି। ସ୍ବତନ୍ତ୍ର ଆମିଷ ବଜାର ନଥିବାରୁ ବିଭିନ୍ନ ଛକରେ ମାଛ ମାଂସ ଦୋକାନ ଖୋଲାମେଲାରେ ଦୋକାନ କରିଛନ୍ତି। ବଜାରର ସମ୍ମୁଖ ଭାଗରେ କିଛି ସଉଦା ଦୋକାନ ରହିଛି। ବଜାର ସ୍ଥାନାନ୍ତର ପରେ ଏଠାରେ ତୁରନ୍ତ ପୌରପାଳିକା ଯୋଜନା କରି କିଛି ପଦକ୍ଷେପ ନ ନେବା ଫଳରେ ବନ୍ଦ ପଡିଥିବା ସଂଜୟ ଦୈନିକବଜାର ଏବେ ଅସାମାଜିକଙ୍କ ଆଡ୍ଡା ପାଲଟିଛି। ଏଠାରେ ନିଶାଡି, ଗଂଜେଇ ସେବନକାରୀଙ୍କ ସହ ଛୋଟ ବଡ ଅପରାଧିଙ୍କ ପାଲଟିଛି ଆଡ୍ଡା।

ଆହୁରି ପଢ଼ନ୍ତୁ: Weekly Market: ୨୦ ଏକରରୁ ୧୦ ଲାଇନ୍କୁ ସଂଙ୍କୋଚିତ ହୋଇଗଲା ନବରଂଗପୁର ସାପ୍ତାହିକ ହାଟ

ସହର ଓ ଜିଲ୍ଲାରେ ସଂଘଟିତ ହେଉଥିବା ବିଭିନ୍ନ ଅପରାଧ ପାଇଁ ଏଠାରୁ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। କିଛି ପେସାଧାରୀ ଅପରାଧୀ ଏଠାରୁ ହିଁ ଗ୍ୟାଙ୍ଗ ପରିଚାଳନା କରୁଛନ୍ତି।ସହର ମଧ୍ୟରେ ଥିବା ଏତେ ବଡ ସ୍ଥାନକୁ ଦୀର୍ଘ ୯ବର୍ଷ ହେବ ପୌରପାଳିକା ଦୁରଦୃଷ୍ଟି ରଖି ଏଠାରେ ସଫିଂ ମଲ୍ କରିଥିଲେ ଏଥିରୁ ବହୁ ରାଜସ୍ବ ପାଇବା ସହ ଆୟର ସ୍ରୋତ ବି ବଢ଼ି ପାରିଥାନ୍ତା ତୁରନ୍ତ ଏଠାରେ ସପିଂ ମଲ ତିଆରି କରାଯାଉ ବୋଲି ଦାବି କରିଛନ୍ତି ସଂଜୟ ଦୈନିକ ବଜାରର ପୂର୍ବତନ ସଭାପତି ରାକେଶ ଗୁପ୍ତା। ସମ୍ପୁର୍ଣ୍ଣ ବଜାରର ସବୁ ଷ୍ଟଲକୁ ଭାଙ୍ଗି ଏଠାରେ ନୂଆ ବଜାର ନିର୍ମାଣ କରିବାକୁ ବାରମ୍ବାର ପ୍ରସ୍ତାବ ଦେବା ସହ ପାରିଷଦ ବୈଠକରେ ଆଲୋଚନା କରୁଥିବା କହିଛନ୍ତି କାଉନସିଲର ଏ.ସତୀଶ। ସବୁ ଷ୍ଟଲକୁ ବିପଦସଂକୁଳ ଘୋଷଣା କରାଯାଇଛି।

ତେବେ ଏସବୁକୁ ଭାଙ୍ଗିଲେ ଜମି ମାଫିଆ ମାନେ ରାତାରାତି ମାଡିବସିବା ଭୟରେ ଭଙ୍ଗା ଯାଉନି। ସହରର ମଧ୍ୟ ଭାଗରେ ରହି ଆସିଥିବାରୁ ଏଠାରେ ନୂଆ ସଫିଂ ମଲ୍ କରାଯାଉ ବୋଲି ଚାମ୍ବର ଅଫ କମର୍ସ ପକ୍ଷରୁ ଦାବିପତ୍ର ଦିଆଯାଇଥି ବୋଲି କହିଛନ୍ତି ସଭାପତି କାହ୍ନୁ ଦାସ। ଏହି ପ୍ରସ୍ତାବକୁ ସମର୍ଥନ କରି ବିଧାୟକ ଗୌରୀଶଙ୍କର ମାଝୀ ବି ରାଜ୍ୟସରକାରଙ୍କ ନଗର ଉନ୍ନୟନ ଓ ଗୃହ ବିଭାଗ ନିକଟକୁ ଅବଗତ କରିଥିଲେ। ରାଜ୍ୟସରକାର ୧୦କୋଟି ଟଙ୍କା ନୂଆ ସପିଂ ମଲ୍ ନିର୍ମାଣ ପାଇଁ ମଂଜୁର କରିଛନ୍ତି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ। ଏହା ସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୋଟିଏ ବୈଷୟିକ ଟିମ୍ ଆସି ସର୍ଭେ କରି ଯାଇଛନ୍ତି। ଏହି ଟିମ୍ ଡିପିଆର(ଡିଟେଲ ପ୍ରଜେକ୍ଟ ରିପୋର୍ଟ) ଦେବା ପରେ ପୁଣି ଥରେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ଯିବ। ଅନୁମୋଦନ ହେଲେ ଟେଣ୍ଡର କରାଯିବ ବୋଲି କହିଛନ୍ତି ନିର୍ବାହୀଅଧିକାରୀ। ତଳେ ପାର୍କିଂ ପ୍ଲେସ୍ କରାଯିବ। ଉପର ୨ମହଲାରେ ସପିଂ ମଲ ନିର୍ମାଣ ହେବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।

Leave a Reply

Your email address will not be published. Required fields are marked *

error: Content is protected !!