ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପରିବାରକୁ ନ୍ୟାୟ ନମିଳିବାରୁ କୋର୍ଟ ସମ୍ମୁଖରେ ଦମ୍ପତି ନିଜର ଓ ୨ ସନ୍ତାନଙ୍କ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।ସୂଚନା ଅନୁସାରେ, ଖଡ଼ିଆଳ ଥାନା ଡୁଆଝର ଗାଁର ଦାଶରଥି ମେହେରଙ୍କର ତାଙ୍କର ପଡ଼ୋଶୀଙ୍କ ସହ ଜମି ବିବାଦ ରହିଥିଲା। ଏନେଇ ଦାଶରଥି ଖଡ଼ିଆଳ ଥାନାରେ ଅଭିଯୋଗ କରିବା ସହ ଏସ୍ପି ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗକୁ ଅଧିକାରୀମାନେ ଶୁଣୁନଥିଲେ। ସେପଟେ, ପଡ଼ୋଶୀ ବି ଦାଶରଥିଙ୍କ ପରିବାରକୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଆଜି ଡୁଆଝର ଗାଁରୁ ଦାଶରଥି ମେହେର (୪୦), ସ୍ତ୍ରୀ ଉପାସୀ ମେହେର (୨୭), ଝିଅ ଅନୁରାଧା (୫), ପୁଅ ଆଦିତ୍ୟ (୩) ଜିଲ୍ଲା କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ।ବୋତଲରେ ଆଣିଥିବା ପେଟ୍ରୋଲକୁ ସ୍ବାମୀ ଓ ସ୍ତ୍ରୀ ନିଜ ଶରୀରରେ ଢାଳିବା ସହ ପିଲାଙ୍କ ଉପରେ ବି ପକାଇଥିଲେ। ଏହାପରେ ସେମାନେ ଆତ୍ମାହୁତି ଦେବା ପାଇଁ ଲାଇଟର୍ ଜାଳୁଥିବାବେଳେ ଉପସ୍ଥିତ ଲୋକେ ଦୌଡ଼ି ଯାଇ ଲାଇଟର ଛଡ଼ାଇ ଆଣିବା ସହ ନୂଆପଡ଼ା ପୁଲିସକୁ ସୂଚନା ଦେଇଥିଲେ। ନୂଆପଡ଼ା ଥାନା ଅଧିକାରୀ ଗଙ୍ଗଧର ମେହେର ପହଞ୍ଚି ପରିବାରକୁ ଉଦ୍ଧାର କରି ନୂଆପଡ଼ା ଥାନାକୁ ନେଇଥିଲେ। ଘଟଣା ଉପରେ ନୂଆପଡ଼ା ପୁଲିସ ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ମେହେର କହିଛନ୍ତି।
