ବଲାଙ୍ଗିର ଜିଲ୍ଲା ଜେଲରେ ଘଟିଥିବା କଏଦୀ ଆତ୍ମହତ୍ୟା ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ। ଏହି ଘଟଣାର ସତ୍ୟତା ଖୋଜିବା ପାଇଁ ସମ୍ବଲପୁର ଜେଲ ଡିଆଇଜି ଗରିବ ସାହୁ ଆଜି ବଲାଙ୍ଗିର ଜେଲକୁ ପହଞ୍ଚି ତଦନ୍ତ କରିଛନ୍ତି।
ସୂଚନା ଅନୁସାରେ, କୁଶଙ୍ଗ ଗାଁର ବାସିନ୍ଦା ଭିଷ୍ମଦେବ ସାହୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଥିଲେ। ଗତକାଲି ସକାଳେ ସେ ବଲାଙ୍ଗିର ଜେଲ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ତେବେ ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି। ପରିବାର ସଦସ୍ୟମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଜେଲ ଭିତରେ ହତ୍ୟା କରାଯାଇଥିବା ଦାବି କରିଥିଲେ। ଏହା ପରେ ଘଟଣାଟି ଆହୁରି ଚର୍ଚ୍ଚାର ବିଷୟ ହୋଇଯାଇଛି।
ଏହି ପରିସ୍ଥିତିରେ ସମ୍ବଲପୁର ଜେଲ ଡିଆଇଜି ଗରିବ ସାହୁ ବଲାଙ୍ଗିର ଜେଲକୁ ପହଞ୍ଚି ସମସ୍ତ ପ୍ରମାଣ ଓ ପରିସ୍ଥିତିକୁ ଖତିଆନ କରୁଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଦିଗକୁ ନେଇ ସଂପୂର୍ଣ୍ଣ ତଦନ୍ତ କରାଯିବ ଏବଂ ପରେ ଉପରିସ୍ଥ ଅଧିକାରୀଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯିବ।
ଘଟଣାଟିକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଟିଟିଲାଗଡ଼ରୁ ଓଡିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସହ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁନା ଗୌଡ଼ଙ୍କ ରିପୋର୍ଟ, ଶ୍ରୀ କ୍ଷେତ୍ର ଲାଇଭ।
