ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରେ ଆସନ୍ତା ମଙ୍ଗଳବାର ପବିତ୍ର ଚୈତ୍ର ପର୍ବର ଦ୍ୱିତୀୟ ମଙ୍ଗଳବାର ଯାତ୍ରାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହିଥର ଏକେ ଦିନରେ ମାଆ ତାରାତାରିଣୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ, ପ୍ରତାପୁରର ପବିତ୍ର ଋଷିକୁଲ୍ୟା ନଦୀରେ ପାରମ୍ପରିକ ବାରୁଣୀ ସ୍ନାନ ମଧ୍ୟ ଅନୁଷ୍ଠିତ ହେବ।
ଫଳରେ ଦୁଇଟି ବଡ଼ ଧାର୍ମିକ ସମାଗମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି।
ଶ୍ରଦ୍ଧାଳୁମାନଙ୍କ ସୁବିଧା ଓ ସୁରକ୍ଷାକୁ ଆଗରେ ରଖି ପାନୀୟ ଜଳ, ଯାତାୟାତ, ପରିବହନ, ଆଇନ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଓ ଆପାତକାଳୀନ ଚିକିତ୍ସା ସେବା ଭଳି ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।
ବିଶେଷ କରି ମଙ୍ଗଳବାର ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସତର୍କ ଓ ସମନ୍ୱିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ଛତ୍ରପୁର ଉପ-ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବାବେଳେ ତହସିଲଦାର, ବିଡ଼ିଓ, ଏସଡିପିଓ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ତେବେ ଏହି ଦୁଇ ପବିତ୍ର ଧାର୍ମିକ ଅବସରକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପ୍ରଶାସନ କେମିତି ପ୍ରସ୍ତୁତି କରିଛି, ଶୁଣନ୍ତୁ କଣ କହୁଛନ୍ତି ଅଧିକାରୀ, ସେବାୟତ ଓ ସ୍ଥାନୀୟ ପ୍ରତିନିଧିମାନେ।
