ମଉକା ଦେଖି ଚୌକା ମାରିଲେ ମୋକିମ୍ |

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ଵିତ। ମଉକା ଦେଖି ଚୌକା ମାରିଲେ ମହମ୍ମଦ ମୋକିମ୍। ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଦେଲେ ଆହ୍ଵାନ। ଝିଅ ସୋଫିଆ ଫିର୍ଦ୍ଦୋସ୍ ଙ୍କ କ୍ରସ୍ ଭୋଟିଂ ନେଇ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ମୋକିମ୍ କହିଛନ୍ତି ଯେ, ମୋତେ ବହିଷ୍କାର କରିବା ପରେ କଂଗ୍ରେସ ଦଳ ସୋଫିଆଙ୍କୁ ଅଣଦେଖା କରୁଥିଲା।

କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନଥିଲେ। ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନଥିଲେ। ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ।
ସୂଚନା ଥାଉକି, ଦଳୀୟ ହ୍ୱିପ୍ ଲକ୍ଷ୍ମଣରେଖା ଡେଇଁବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। କ୍ରସ୍ ଭୋଟିଂ ପ୍ରସଙ୍ଗରେ ନିଲମ୍ଵିତ ବିଧାୟକଙ୍କ ଉପରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଏହି ବିଧାୟକ, ବିଧାୟିକାଙ୍କ ଭଲ ଭବିଷ୍ୟତ ଥିଲା। ସେମାନେ ନିଜ ରାଜନୈତିକ କ୍ୟାରିଅର ନଷ୍ଟ କରିଦେଲେ। ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯିବ। ବ୍ୟକ୍ତିଗତ ଭାବେ ସୋଫିଆଙ୍କ ସହ କଥା ହୋଇଥିଲି। ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦେବାକୁ ଆଶ୍ଵାସନା ଦେଇଥିଲି। ତାଙ୍କ ବାପାଙ୍କୁ କଂଗ୍ରେସ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲି। ସେ କିନ୍ତୁ ନିଜର ରଙ୍ଗ ଦେଖେଇ ଦେଲେ। ଆଉ ଜଣଙ୍କୁ ଗଞ୍ଜାମର ଟାଇଗର କୁହାଯାଉଥିଲା। ଟାଇଗର୍ ଘାସ ଖାଏନି ବୋଲି ଶୁଣିଥିଲି। କିନ୍ତୁ କାଲି ଆମେ ଦେଖିଲୁ ଟାଇଗର୍ ଘାସ ଖାଇଲା।

Leave a Reply

Your email address will not be published. Required fields are marked *

error: Content is protected !!