ଗଜପତି ଜିଲ୍ଲାରୁ ଆସିଛି ଏକ ଚମକଦାର ଅବହେଳାର ଚିତ୍ର!
ହଷ୍ଟେଲରେ ସୁରକ୍ଷା ନଥିବାରୁ ଘଟିଲା ଗୁରୁତର ଅଘଟଣ — ଛାତରୁ ପଡି ସଙ୍କଟରେ ଛାତ୍ରର ଜୀବନ !
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଘଟିଛି ଏହି ଦୁର୍ଭାଗ୍ୟ ଜନକ ଘଟଣା ।
ରବିବାର ମଧ୍ୟରାତ୍ରରେ ଜଣେ ଛାତ୍ର ହଷ୍ଟେଲ ଛାତରୁ ଖସିପଡି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ସବୁଠାରୁ ବଡ଼ କଥା ହେଉଛି — ହଷ୍ଟେଲରେ ନାହିଁ କେହି ୱାର୍ଡେନ କିମ୍ବା ନାହାନ୍ତି କୌଣସି ସୁରକ୍ଷା କର୍ମଚାରୀ।
କେବଳ ଦୁଇ ଜଣ ରୋସେୟାଙ୍କ ଉପରେ ଚାଲିଛି ସମ୍ପୂର୍ଣ୍ଣ ପରିଚାଳନା!
ତେବେ ଏହାକୁ ନେଇ ପ୍ରଶାସନର ଦାୟିତ୍ବ ଉପରେ ଉଠିଛି ଗୁରୁତର ପ୍ରଶ୍ନ।

ମିଳିଥିବା ଖବର ମୁତାବକ ଆହତ ଛାତ୍ରଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମକୁ ନେଇଥିଲେ।
ହେଲେ ଅର୍ଥ ଅଭାବରୁ ପରେ ତାଙ୍କୁ ଘରକୁ ନେଇ ଚେରମୂଳି ଉପଚାର କରାଯାଉଥିବା ଅଭିଯୋଗ ଆସିଛି।
ଛାତ୍ରଙ୍କ ମେରୁଦଣ୍ଡରେ ଗୁରୁତର ଚୋଟ ଲାଗିଥିବା କୁହାଯାଉଛି, ଯାହା ତାଙ୍କ ଅବସ୍ଥାକୁ ଆହୁରି ଜଟିଳ କରିଛି।
ଅନ୍ୟପଟେ ବିଭାଗୀୟ ସୂତ୍ରରୁ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ହେଲେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନନେତା ଘଟଣାର ବିଧିବଧ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ତେବେ ସରକାରଙ୍କ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା କେତେ ନିରାପଦ ଏହି ଘଟଣା ପରେ ଏହି ପ୍ରଶ୍ନ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।
