ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଆମେରିକା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ଇରାନ୍ ଉପରେ ଘନଘନ ମିଶାଇଲ ମାଡ଼ ଓ ଡ୍ରୋନ୍ ଆକ୍ରମଣରେ ଅଶୋଧିତ ତୈଳ ଓ ଗ୍ୟାସ୍ ରପ୍ତାନୀ ପ୍ରଭାବିତ ହୋଇଛି । ଗ୍ୟାସ ଆମଦାନୀ ବନ୍ଦ ହୋଇଯିବାରୁ ଭାରତରେ ରୋଷେଇ ଗ୍ୟାସ୍ର ଉତ୍କଟ ସମସ୍ୟା ଦେଖାଦେଇଥିଲା । ଯୁଦ୍ଧର ଘନଘୋଟ ଭିତରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଦେଶକୁ ଦୁଇଟି ଏଲ୍ପିଜି ଗ୍ୟାସ କଣ୍ଟେନର ‘ନନ୍ଦାଦେବୀ’ ଏବଂ ‘ଶିବାଲିକ’ ପହଞ୍ଚିଛି। ଗ୍ୟାସ କଣ୍ଟେନର ନନ୍ଦାଦେବୀକୁ ଧୈର୍ଯ୍ୟର ସହିତ ହର୍ମୁଜ ପ୍ରଣାଳୀ (ଷ୍ଟ୍ରେଟ ଅଫ ହର୍ମୁଜ)ର ବିପଦପୂର୍ଣ୍ଣ ଯାତ୍ରାରୁ ଭାରତ ଫେରାଇଛନ୍ତି କ୍ୟାପଟେନ ଧୀରଜ ଅଗ୍ରୱାଲ। ଧୀରଜ ଜଣେ ଓଡ଼ିଆ ପୁଅ ହୋଇଥିବା ବେଳେ ତାଙ୍କ ଘର ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ବୋଲି ଜଣାପଡ଼ିଛି । ସୁରକ୍ଷିତ ଭାବେ ୪୬ ହଜାର ମ୍ୟାଟ୍ରିକ ଟନ୍ ଗ୍ୟାସ ବୋଝେଇ ନନ୍ଦାଦେବୀ ଜାହାଜକୁ ନେଇ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।ଦେଶକୁ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ ହେଉଛି । ଏଭଳି ପରିସ୍ଥିତିରେ ପ୍ରାୟ ୨ ସପ୍ତାହ ଧରି ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏଭଳି ପରିସ୍ଥିତିରେ ଇରାନରୁ ଗ୍ୟାସ ଧରି ଭାରତ ଆସୁଥିବା ୨ଟି ଜାହାଜ ନନ୍ଦାଦେବୀ ଓ ଶିବାଲିକ ଅଧାବାଟରେ ଓମାନରେ ପ୍ରାୟ ୧୫ ଦିନ ଧରି ଫସି ରହିଥିଲେ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବ୍ୟବସାୟୀ ସ୍ବର୍ଗତ ରମେଶ ଅଗ୍ରୱାଲଙ୍କ ସାନପୁଅ ଧୀରଜ ସିପିଂ କର୍ପୋରେସନ ଅଫ ଇଣ୍ଡିଆ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି । ସେ ନନ୍ଦାଦେବୀ ଜାହାଜର କ୍ୟାପଟେନ୍ ଭାବେ କାମ କରୁଥିବା ଜଣାପଡ଼ିଛି । ଯୁଦ୍ଧକୁ ନେଇ ଗତ କିଛିଦିନ ହେଲା ଇରାନ ଅକ୍ତିଆରରେ ଥିବା ହର୍ମୁଜରୁ ସମସ୍ତ ଜାହାଜ ଯାତାୟାତକୁ ବନ୍ଦ କରିଦିଆଯାଇଥିଲା। ଯୁଦ୍ଧ ଘମାଘଟ ମଧ୍ୟରେ ଅଧାବାଟରେ ଜାହାଜ ସହ ଧୀରଜ ଫସି ରହିଥିବାରୁ ତାଙ୍କ ସୁରକ୍ଷାକୁ ନେଇ ପରିବାର ଲୋକେ ଭୟ ଓ ଆଶଙ୍କା ମଧ୍ୟରେ ରହିଥିଲେ । ଘରେ ବିଧବା ମା’ ଓ ପତ୍ନୀଙ୍କ ସହ ୨ ଶିଶୁପୁତ୍ର ରହିଥିବା ବେଳେ ଏମାନଙ୍କୁ ଧେର୍ଯ୍ୟହରା ନ ହେବା ପାଇଁ ଧୀରଜ ପରାମର୍ଶ ଦେଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବୈଦଶିକ ମନ୍ତ୍ରଣାଳୟ ଉଦ୍ୟମକ୍ରମେ ଇରାନରୁ ଦେଶକୁ ଦୁଇଟି ଏଲପିଜି ଗ୍ୟାସ କଣ୍ଟେନର ‘ନଦାଦେବୀ’ ଏବଂ ‘ଶିବାଲିକ’ ହର୍ମୁଜ ପ୍ରଣାଳୀ(ଷ୍ଟ୍ରେଟ ଅଫ ହର୍ମୁଜ)ଦେଇ ଭାରତରେ ପହଞ୍ଚିଛନ୍ତି । ଶିବାଲିକ ୨ ଦିନ ପୂର୍ବରୁ ଗୁଜୁରାଟରେ ପହଞ୍ଚିଥିବା ବେଳେ ନନ୍ଦାଦେବୀ ଆଜି ପହଞ୍ଚିଥିବା ଜଣାପଡ଼ିଛି । ୨ଟି ଜାହାଜରେ ପ୍ରାୟ ସମୁଦାୟ ୯୨ ହଜାର ମ୍ୟାଟ୍ରିକ ଟନ୍ ଗ୍ୟାସ ଭାରତରେ ପହଞ୍ଚିଛି । ଦେଶରେ ଦେଖାଦେଇଥିବା ଗ୍ୟାସ ଶଙ୍କଟ ସମାଧାନ ହେବାନେଇ ଆଶା ରହିଛି । ଅନ୍ୟପଟେ ନନ୍ଦାଦେବୀରେ ୪୬ ହଜାର ମ୍ୟାଟ୍ରିକ ଟନ୍ ଗ୍ୟାସ ସହ କ୍ୟାପଟେନ ଧୀରଜ ଅଗ୍ରୱାଲ ଧେର୍ଯ୍ୟର ସହ ସୁରକ୍ଷିତ ଭାବେ ଦେଶରେ ଆଜି ପହଞ୍ଚିଥିବା ଜଣାପଡ଼ିଛି । ସାରା ଦେଶରୁ ତାଙ୍କ ବୀରତ୍ବ ଓ ସାହସକୁ ସମ୍ମାନ ଦିଆଯାଉଥିବା ବେଳେ ଶୁଭେଚ୍ଛାର ସୁଅ ଛୁଟିଛି । ସୁରକ୍ଷିତ ଭାବେ ଦେଶରେ ପହଞ୍ଚିବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଧୀରଜଙ୍କ ଧେର୍ଯ୍ୟ, ସାହସ ଓ ବୀରତ୍ବ ଯୋଗୁଁ ଦେଶରେ ଦେଖା ଦେଇଥିବା ଗ୍ୟାସ୍ ସଙ୍କଟ ସମାପ୍ତ ହେବା ସହ ଧୀରଜଙ୍କ ବୀରତ୍ବ ଓ ସାହସକୁ ନେଇ ପରିବାର ଗର୍ବିତ ଅନୁଭବ କରିଛନ୍ତି । ପତ୍ନୀ, ମା’, ଭାଇ, ଭଉଣୀ, ଭିଣୋଇ, ଶାଶୁ ଓ ସମ୍ପର୍କୀୟଙ୍କ ମୁହଁରେ ହସ ଫୁଟିଥିବା ଦେଖିବାକୁ ମିଳିଛି
