କଳାହାଣ୍ଡି (ସନ୍ତୋଷ କୁମାର ପଟ୍ଟନାୟକ),କୋକସରା ବ୍ଲକ୍, ମୂଷାପାଲି ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟାର ଏକ କରୁଣ ଚିତ୍ର। ମୋଟର ଅଛି, ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ କରା ଯାଇଛି, ପାଇପ୍ ଲାଇନ୍ ମଧ୍ୟ ବିଛା ଯାଇଛି କିନ୍ତୁ ନା ଆସୁଛି ପାଣି। ନା ବ୍ୟବହାର କରୁଛନ୍ତି ଲୋକେ।ଏମିତି ଏକ ପାନୀୟ ଜଳ ସମସ୍ୟାର ଚିତ୍ର ଯିଏ ଦେଖିବ ସେ ହିଁ ଜାଣି ପାରିବ।ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଟିକିଏ ପାଇବା ପାଇଁ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ଫେଲ୍ ମାରିଲା ଯୋଜନା। ନା କାମ ସମ୍ପୂର୍ଣ୍ଣ ହେଲା, ନା ଲୋକଙ୍କୁ ମିଳିଲା ପାଇପ୍ ଯୋଗେ ପାନୀୟ ଜଳ। ବର୍ତମାନ ପାଣି ଟିକିଏ ପାଇଁ ଗାଁ ଲୋକେ ନିକଟସ୍ଥ ନଇଁ, ପୋଖରୀ ଓ କିଛି ନଳକୂପ ଉପରେ ନିର୍ଭର କରୁଛନ୍ତି।
ଖରାଦିନ ଆସିବାରୁ ନଇଁ, ପୋଖରୀର ପାଣି ମଧ୍ୟ ଶୁଖିବାକୁ ବସିଲାଣି।ଚିନ୍ତାରେ ଗାଁ ଲୋକେ। ଡହଳ ବିକଳ ହେଉଛି ଲୋକଙ୍କ ଜୀବନ।ସରପଞ୍ଚ, ସମିତି ବଦଳିଲେ କିନ୍ତୁ ସମସ୍ୟାର ସମାଧାନ ହେଲା ନାହିଁ । ପଞ୍ଚାୟତ ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ସମସ୍ତେ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏଣୁ ତୁରନ୍ତ ଏହି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନକୁ ନିଜର ଦାବୀ ଜଣାଇଛନ୍ତି।
