ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାଗରଣ ଭାରତ ଏଜୁକେସନ କନ୍କ୍ଲେଭ୍ ୨୦୨୬’ ଅବସରରେ ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷାରେ ଅନିୟମିତତା ଜଣାପଡ଼ିବା ପରେ ସରକାର କେତେକ କଠୋର ନିଷ୍ପତ୍ତି ନେଇଛନ୍ତି।
ମେ’ ୩, ୨୦୨୬ରେ ଜାତୀୟ ପରୀକ୍ଷା ସଂସ୍ଥା (ଏନ୍ଟିଏ) ଦ୍ୱାରା ଆୟୋଜିତ ଏହି ପରୀକ୍ଷାକୁ ବାତିଲ କରାଯାଇଛି ଏବଂ ଆସନ୍ତା ଜୁନ୍ ୨୧ରେ ଏକ ସମ୍ପୂର୍ଣ୍ଣ ତ୍ରୁଟି ମୁକ୍ତ ପୁନଃ ପରୀକ୍ଷା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, କୌଣସି ବି ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ପରୀକ୍ଷା ମାଫିଆଙ୍କ ଯୋଗୁଁ ନିଜର ମେଡିକାଲ ସିଟ୍ ନ ହରାନ୍ତି, ତାହା ସରକାର ନିଶ୍ଚିତ କରିବେ। ପ୍ରଶ୍ନପତ୍ର ଲିକ୍ କାରଣରୁ ଦେଶର ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି। ଏହି ସମଗ୍ର ବିବାଦ ଯୋଗୁଁ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ପରିବାର ଯେଉଁ ଗଭୀର ମାନସିକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି, ତାହାକୁ ଶିକ୍ଷାମନ୍ତ୍ରୀ ସ୍ୱୀକାର କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁନ୍ ୨୧ର ପରୀକ୍ଷା ଯେପରି ଶତପ୍ରତିଶତ ସ୍ୱଚ୍ଛ ଏବଂ ନିରପେକ୍ଷ ହେବ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ପ୍ରଶ୍ନପତ୍ର ଲିକ୍ ରହସ୍ୟର ପର୍ଦ୍ଦାଫାସ କରିବା ପାଇଁ ସିବିଆଇ ତଦନ୍ତ ଜାରି ରହିଛି।
ଆହୁରି ପଢ଼ନ୍ତୁ: RahulGandhi: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା
ଏହି ପ୍ରକ୍ରିୟାରେ ସରକାରଙ୍କ ପଦକ୍ଷେପକୁ ନେଇ ସମାଲୋଚନା ହେଉଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ, ସମସ୍ୟାକୁ ଲୁଚାଇବା କିମ୍ବା ଏଡ଼ାଇବା ଅପେକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସମ୍ପୂର୍ଣ୍ଣ ରୂପେ ସୁଧାରିବା ସରକାରଙ୍କ ଦାୟିତ୍ୱ ଅଟେ। ଶିକ୍ଷାମନ୍ତ୍ରୀ ପୁନର୍ବାର ଦୋହରାଇଛନ୍ତି ଯେ, ଦେଶର ଶିକ୍ଷା ଏବଂ ପରୀକ୍ଷା ପ୍ରଣାଳୀର ଗରିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ସରକାର ବଦ୍ଧପରିକର ଏବଂ ଦୋଷୀଙ୍କୁ କଦାପି ଛଡ଼ାଯିବ ନାହିଁ।
